Unknown

 

 

 

 

 

 

 

 

 

ବେଢ଼ାବୁଲା ଓ ବେଢ଼ା ପରିକ୍ରମା

ଶ୍ରୀ ଗୋବିନ୍ଦ ରଥ

 

ବେଢ଼ାବୁଲା

 

ସୀତାଙ୍କ ଶ୍ରୀକରଧରି ଚଳିଲେ ବେଢ଼ାକୁ ।

ଚିହ୍ନାଇ ଦିଅନ୍ତି ବେଢ଼ା ଦେବତାମାନଙ୍କୁ

ଚାହାଁ ଧନ ରେ ।

ଅନନ୍ତ ଶୟନ ଭଗବାନରେ ।୧।

ଦାରୁବ୍ରହ୍ମ ମୂରତି ଏ ଦେଖ ମହାସତି ।

ପତିତପାବନବାନା ଏହି ବହିଛନ୍ତି ।

ଚାହାଁ ମିତ ଗୋ ।

ପତିତପାବନ ଜଗନ୍ନାଥ ଗୋ ।୨।

ଦେଖ ଦେଖ ସଖି ଆରେ ବାଞ୍ଛାକଳ୍ପବଟ ।

ଚିତ୍ତେ ସୁମରଣା କଲେ ଫିଟଇ ସଙ୍କଟ ।

କୃଷ୍ଣ ରୂପ ଗୋ ।

ଦେବାସଭ ମୁକତମଣ୍ଡପ ଗୋ ।୩।

ବେଢ଼ାକାଳିକାଙ୍କୁ ଦେଖ ବେଢ଼ା ଜଗିଛନ୍ତି ।

ନୟନ ବୁଲାଇ ମାତ ତରାଟି ଚାହାନ୍ତି ।

ନାମ କାଳୀ ଗୋ ।

ଗଳାକୁ ଶୋହିଛି ମୁଣ୍ଡମାଳୀ ଗୋ ।୪।

ଦକ୍ଷିଣ ଦୁଆରେ ଦେଖ ବିଜେ ଗଣପତି ।

ମନେ ସୁମରଣା କଲେ କ୍ଷଣେ ନାହିଁ ଭାତି ।

ବିଘ୍ନରାଜ ଗୋ ।

ଏହିଠାରେ କାକ ଚତୁର୍ଭୁଜ ଗୋ ।୫।

ନୃସିଂହ ମୂରତି ଦେଖ ମହା ଭୟଙ୍କର ।

ହିରଣ୍ୟ ଅସୁର ବିଦାରଣ ଚକ୍ରଧର ।

କ୍ଷେତ୍ରିସୁତା ଗୋ ।

ଦେଖ ଏ ବିମଳା ଜଗଜ୍ଜିତା ଗୋ ।୬।

ବିଚିତ୍ର ମନ୍ଦିର ସଖି ଦେଖ ବୃନ୍ଦାବନ ।

ବାଛୁରୀ ଚରାଉଛନ୍ତି ଯଶୋଦାନନ୍ଦନ ।

ଚାହାଁ ବାଳା ରେ ।

କୃଷ୍ଣ ବାଳକାଳର ଏ ଲୀଳା ରେ ।୭।

ସୁନ୍ଦରମୂରତି ରାମ କୃଷ୍ଣ ବେନିଭାଇ ।

ଗୋପରେ ଏ ଲୁଚିଥିଲେ କଂସ ଭୟ ପାଇ ।

ୟାଙ୍କୁ ଦେଖ ଗୋ ।

ଏହିଟି ଫେଡ଼ିବେ ଆମ୍ଭ ଦୁଃଖ ଗୋ ।୮।

ସିଦ୍ଧିଦାତା ଗଣେଶଙ୍କୁ ଦେଖ ଆରେ ଧନ ।

ଏହିଟି ଅଟନ୍ତି ଆମ୍ଭ ପାର୍ବତୀନନ୍ଦନ ।

ଦେଖ ମୂଷା ଗୋ ।

ପୂର୍ବରେ ଏ କରିଥିଲେ ଓଷା ଗୋ । ୯।

ପଶ୍ଚିମଦୁଆରେ ଦେଖ ଅଞ୍ଜନାଙ୍କ ସୁତ ।

ନିର୍ମଳ କରିଣ ଚାହଁ ଜନକଦୁହିତା ।

ଶୁଭ୍ରକେଶି ଗୋ ।

ସବୁ କଷ୍ଟ ଗଲା ଏଥି ଆସି ଗୋ ।୧୦।

ହରିରଘରଣୀ ଦେଖ ଅପୂର୍ବମୋହିନୀ ।

ବିଣାଯନ୍ତ୍ର କରେ ଧରି ମୋହୁଛି ଅବନୀ ।

ପ୍ରାଣମଣି ଗୋ ।

ଅଟନ୍ତି ବ୍ରହ୍ମାର ଏ ଦୁଲଣୀ ଗୋ ।୧୧।

ଏ ପୁରରେ ଶ୍ରୀଦେବୀଙ୍କ ଅଟେ ଅଧିକାର ।

ଅଯୋଧ୍ୟାକୁ ଗଲେ ତୁ କହିବୁ ରାମାବର ।

ପ୍ରାଣସଖି ଗୋ ।

ସକଳ ଦେବତା ଠାବ ଦେଖି ଗୋ ।୧୨।

ଛାୟାରବଲ୍ଲଭ ସଖି କର ଗୋ ଦର୍ଶନ ।

ବଳି ଯଜ୍ଞକାଳେ ଦାନ ମାଗିଲେ ବାମନ ।

କୁନ୍ଦଦନ୍ତି ଗୋ ।

ଦେଖ ଏ ଦେଉଳେ ଭଗବତୀ ଗୋ ।୧୩।

ନିର୍ବିକାର ବଲ୍ଲଭଙ୍କୁ ଦେଖ ଆରେ ପ୍ରିୟା ।

ନିରନ୍ତରେ ପାଦ ଯୋଡ଼ି ହୋଇଛନ୍ତି ଠିଆ ।

ଦେଖ ଆସି ଗୋ ।

ଏ ଅଟନ୍ତି ବଇକୁଣ୍ଠବାସୀ ଗୋ ।୧୪।

ଦେଖ ଏ କାଳିକା ଏ ଗୋ ସିଦ୍ଧ ଠାକୁରାଣୀ

ସିଂହର ପିଠିରେ ବସି କରନ୍ତି ଭ୍ରମଣି ।

ଆଦ୍ୟମାତା ଗୋ ।

ମଂସାସୁର ମାରି ଜଗଜ୍ଜିତା ଗୋ ।୧୫।

ଉତ୍ତରଦୁଆରେ ଦେଖ ବିଜେ ଉତ୍ତରାଣୀ ।

ଉତ୍ତରାଣୀ ପାଣ୍ଡବଙ୍କ ବଂଶ ଉଦ୍ଧାରିଣୀ ।

ସୁନାକୂପେ ଗୋ ।

ସ୍ନାହାନ କରନ୍ତି ତିନିରୂପେ ଗୋ ।୧୬।

ଐଶାନ୍ୟନାଥଙ୍କୁ ଦେଖ ଆଗୋ ମହାପତି ।

ବିଭୂତିଭୂଷଣ ଶିବ ବକଳ ପିନ୍ଧନ୍ତି ।

ଯୋଗଧ୍ୟାନେ ଗୋ ।

ପ୍ରାଣିଙ୍କର ମଙ୍ଗଳ ବିଧାନେ ଗୋ ।୧୭।

ଦେଖ ଏ ଶଙ୍କର କୋଳେ ବିଜୟେ ପାର୍ବତୀ ।

ଦୁଃଖୀ ରଙ୍କିଙ୍କର ଏତ କଷ୍ଟ ଉଦ୍ଧାରନ୍ତି ।

ଚନ୍ଦ୍ରମୁଖି ଗୋ ।

ସବୁ ଦୁଃଖ ଗଲା ୟାଙ୍କୁ ଦେଖି ଗୋ ।୧୮।

କୋଇଲୀବୈକୁଣ୍ଠ ଦେଖ ଜନକକୁମାରି ।

ମାଧବୀର ଲତା ଏତ ବଇକୁଣ୍ଠ ପୁରୀ ।

ଯାଜ୍ଞସ୍ଥାନ ଗୋ ।

ଏହିଟି ପ୍ରଭୁଙ୍କ ନିଜ ଧାମ ଗୋ ।୧୯।

ନୀଳମାଧବଙ୍କୁ ଚାହଁ ପୂର୍ବର ଦେବତା ।

ସବୁ ଦେବତାଙ୍କ ପରେ ଅଟନ୍ତି କରତା ।

ମଇଥିଳି ଗୋ ।

ବ୍ରହ୍ମାଣ୍ଡେ ଅଟନ୍ତି ଅଧିକାରୀ ଗୋ ।୨୦।

ବିଚିତ୍ର ମଣ୍ଡପ ଦେଖା ମହା ଶୋଭାକର ।

ଜନାର୍ଦନ ଦ୍ୱାରେ ବିଜେ କଲେ ଚକ୍ରଧର ।

ସିଂହଦ୍ୱାରେ ଗୋ ।

ମହୀ ଉଛୁଳିଲା ତିନିପୁରେ ଗୋ ।୨୧।

ଦେଉଳ ଶିଖକୁ ଚାହଁ ପତିତ ପାବନ ।

ଅନେଶ୍ୱତ କୋଟି ବାନା ଉଡ଼େ ଘନ ଘନ ।

ସୀତା ଦେଖି ଗୋ ।

ହରଷ ହୋଇଲେ ଚନ୍ଦ୍ରମୁଖି ଗୋ ।୨୨।

ଏତେ ଦେଖିକରି ବଡ଼ ଦେଉଳେ ପଶିଲେ ।

ଗରୁଡ଼ ପଛରେ ତିନି ଦାରୁଙ୍କୁ ଦେଖିଲେ ।

ତିନିଜଣ ଗୋ ।

ବସିଛନ୍ତି ରତ୍ନସିଂହାସନ ଗୋ ।୨୩।

ଦେଖ ଦେଖ ସଖି ଆରେ ମାଣିକୀ ଗୌଡ଼ୁଣୀ ।

ରାମ ଗୋବିନ୍ଦଙ୍କୁ ଦେଲା ଯେ ଦଧି ଲବଣି ।

ଏହା ଠାଣି ଗୋ ।

ଅପୂରୁବ ମଧୁର ଚାହାଣି ଗୋ ।୨୪।

ବାଳମୁକୁନ୍ଦଙ୍କୁ ଏଥି କର ଗୋ ଦର୍ଶନ ।

ବ୍ରହ୍ମାଣ୍ଡ ପ୍ରଳୟ କାଳେ ଭାସୁଥିଲେ ପୁଣ ।

ୟାଙ୍କୁ ଦେଖି ଗୋ ।

ସଫଳ ହୋଇଲା ଆମ୍ଭ ଆଖି ଗୋ ।୨୫।

ଅଚିନ୍ତା ପହଣ୍ଡେ ଦେଖ ବିଜେ ନାରାୟଣ ।

ସର୍ବ ମଙ୍ଗଳାଙ୍କୁ ଦେଖ ସଙ୍କଟ ତାରଣ ।

ଯୋଗମାୟା ଗୋ ।

ଶଙ୍ଖ ଚକ୍ର ଧରି ବେନି କାୟା ଗୋ ।୨୬।

ମୃକୁଣ୍ଡଋଷିଙ୍କ ଶିଷ୍ୟ ମାରକଣ୍ଡ ଋଷି ।

ବ୍ରହ୍ମାଣ୍ଡ ପ୍ରଳୟ କାଳେ ଯାଉଥିଲେ ଭାସି ।

ତାଙ୍କୁ ଆଣି ଗୋ ।

ବିଷ୍ଣୁ ଗର୍ଭେ ଠାବ ଦେଲେ ପୁଣି ଗୋ ।୨୭।

ରୋଷାଇ ଶାଳକୁ ଦେଖ ମହା ଶୋଭାକର ।

ସବୁ ଦେବାଦେବୀଙ୍କର ଅଟେ ମନୋହର ।

ସୀତା ଦେଖି ଗୋ ।

ହରଷ ହୋଇଲେ ଚନ୍ଦ୍ରମୁଖି ଗୋ ।୨୮।

ଏ ସ୍ନାନ ମଣ୍ଡପ ଦେଖ ଜନକ ଦୁଲାଳି ।

ଶ୍ରୀହରି ଚରଣୁ ଗଙ୍ଗା ପଡ଼ୁଛି ଉଛୁଳି ।

ଭାଗ୍ୟବଳେ ଗୋ ।

ଦର୍ଶନ ମିଳିଲା ଏତେକାଳେ ଗୋ ।୨୯।

ଚାହାଣି ମଣ୍ଡପ ଚାହିଁ ଜନକ ଦୁହିତି ।

ଲକ୍ଷ୍ମୀ ଦେବୀ ରଥ ଚାହିଁ ଏଥୁଁ ଫେରିଯାନ୍ତି ।

ବଡ଼ଦାଣ୍ଡ ଗୋ ।

ଯହିଁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ଗୋ ।୩୦।

ବାଇଶିପାବଛ ଏତ କଇବଲ୍ୟ ସ୍ଥାନ ।

ଏହିଠାରେ ରହି ସଖି କରିବା ଦର୍ଶନ ।

ଧୀରେ ଧୀରେ ଗୋ ।

ଯାଇଁ ପ୍ରବେଶିବା ସିଂହଦ୍ୱାରେ ଗୋ ।୩୧।

ଦେଖ ରାମ ଅଭିଷେକ କେଡ଼େ ଅଧିକାର ।

ଅଯୋଧ୍ୟାରେ ହୋଇଥିଲେ ଯେହ୍ନେ ରଘୁବୀର ।

ପ୍ରାଣସଖି ଗୋ ।

ବାଇଶିପାବଛ ଥାଅ ଦେଖି ଗୋ ।୩୨।

ବାଇଶି ପାବଛେ ଦେଖ କାଶୀ ବିଶ୍ୱନାଥ ।

ତିନି ପାବଛରେ ରହି ଯୋଡ଼ିଛନ୍ତି ହସ୍ତ ।

ସୀତା ଦେଖି ଗୋ ।

ସାର୍ଥକ ହୋଇଲା ଆମ୍ଭ ଆଖି ଗୋ ।୩୩।

ସିଂହଦ୍ୱାର ବାଟେ ରାମ ବାହାର ହୋଇଲେ ।

ଭଣେ ଜନାର୍ଦନ ସେ ଦକ୍ଷିଣ ମୁଖେ ଗଲେ ।

ରଘୁନାଥ ହେ ।

ସଙ୍ଗେ ସୀତା ସୁମିତ୍ରାଙ୍କ ସୁତ ହେ ।୩୪।

ଅଦୃଶ୍ୟରେ ଦୃଶ୍ୟପଣ ଭଣିଲି ଆପଣ ।

ମୋଠାରେ ସୁଦୟା କର ସୀତାଙ୍କ ରମଣ ।

ରଘୁପତି ହେ ।

ତୁମ୍ଭ ଶ୍ରୀ ଚରଣେ ରହୁ ମତି ହେ ।୩୫।

Image

 

ବେଢ଼ାପରିକ୍ରମା

 

(ରାଗ କାଳୀ)

 

ସମୁଦ୍ର ତଟରେ ଶ୍ରୀ ମହାକ୍ଷେତ୍ରରେ ଶଙ୍ଖନାଭିର ମଧ୍ୟରେ

ଶ୍ରୀ ନୀଳକନ୍ଦରେ ଅଛନ୍ତି ସତ୍ୱରେ କର୍ଣ୍ଣଡେରି ଶୁଣ ନରେ

।।

ଶଙ୍ଖଆକାରରେ ପଞ୍ଚମକ୍ରୋଶରେ ଅଟଇ ସେ ମଧ୍ୟସ୍ଥଳୀ

ମାନବେ କେ ତାହା ନ ଭେଦିବେ ଯାହା ଶିବ ନ ପାରନ୍ତି କଳି

।।

ବେଢ଼ାପରିକ୍ରମା ଏହାର ମହିଁମା ଶୁଣି ହୋଇବା ହରଷ

ଏହାକୁ ଶୁଣିଣ ଅଶେଷ ଦୂଷଣ ଶୀଘ୍ରେ ହୁଅଇ ବିନାଶ

।।

ଛାଡ଼ ଦୁଢ଼ମତି କରିବା ଭକତି ବେଳୁଁ କୃଷ୍ଣ ଆଶ୍ରେ କର

ଲଭିବ ମୁକତି ହେବ ମୋକ୍ଷଗତି ପ୍ରବେଶ ହରିମନ୍ଦିର

।।

ପ୍ରଥମେ ଦର୍ଶନ ପତିତପାବନ ସିଂହଦ୍ୱାରେ ଦେଖ ଯାଇଁ

ଦ୍ୱାବିଂଶ ପବଛେ କାଶିବିଶ୍ୱନାଥ ପୂର୍ଣ୍ଣ ବ୍ରହ୍ମରୂପ ଧ୍ୟାଇଁ

।।

ଶ୍ରୀ ଭୋଗମଣ୍ଡପ ଦେଖି କ୍ଷୟ ପାପ ତହିଁ ମସ୍ତକ ଲଗାଅ

ଅଜାଣ ନାଥଙ୍କୁ ଶୁଭରେ ଦେଖନ୍ତୁ ବିଘ୍ନେଶ୍ୱର ପାଶେ ଯାଅ

।।

ବଟକୃଷ୍ଣ ଆଦି ପରିକ୍ରମା ବଧ ବଟମଙ୍ଗଳା ସେଠାରେ

ଅନନ୍ତ ଶୟନ ଶଯ୍ୟାକୁ ଦେଖିଣ ଲୟକର ଚକ୍ରୋପରେ

।।

କ୍ଷତ୍ରପାଳ ଦେଖି ସେ ସ୍ଥାନରୁ ଆସି ନୃସିଂହନାଥଙ୍କ ଯାଏ

ବିପ୍ରସଭା ଥରେ ଦେଖ ସ୍ୱଚକ୍ଷୁରେ ନିରତେ ପୁରାଣ ହୁଏ

।।

ତହିଁର ଅନ୍ତରେ ରୋହିଣି କୁଣ୍ଡରେ କାକପଡ଼ି ଚତୁର୍ଭୂଜ

ତଥିପରେ ଚକ୍ର ଦେଖ ହୋଇ ବକ୍ର ପୂର୍ବ କଥାଯାକ ହେଜ

।।

ଶୁଭରେ ବିମ୍ବଳେ ଶ୍ରୀ କ୍ଷେତ୍ର ଭୂପାଳେ ସତ୍ୟେ ମଣନ୍ତି ଗୁହାରି

ଏହାଙ୍କ କୃତ୍ୟରେ ମହାଦୁର୍ଗା ଖରେ ମଂସାସୁର ଦର୍ପ ହରି

।।

ନନ୍ଦର ଯଶୋଦା କୃଷ୍ଣମୂର୍ତ୍ତି ଗଦା ଗଦାହୋଇ ହୋଇ ବସିଛନ୍ତି

ସରସ୍ୱତୀ ନୀଳମାଧବ ସକଳ ବେତାକାଳିକା ମୂରତି

।।

ଦେବୀ ସରସ୍ୱତୀ ପ୍ରସନ୍ନ ହୁଅନ୍ତି ତାଙ୍କୁ ଭଲକରି ଦେଖ

ମହାଲକ୍ଷ୍ମୀ ଭଲେ କୁବେରର ତୁଲେ ଧନ ଦେଇ କରେ ସୁଖ

।।

ଲକ୍ଷ୍ମୀଙ୍କ ମୋହନେ ବସିକରି କ୍ଷଣେ ଶ୍ରୀ ମହାମନ୍ତ୍ର ଭଜନ

ସେଠାରୁ ଉଠିବ ପ୍ରଳମ୍ବ କରିବ ହନୁମାନେ ନିବେଦନ

।।

ଗଙ୍ଗାଦି ତ୍ରିଧାର ମୋକ୍ଷଜାଣ ନର ପାଦୁକକୁଣ୍ଡ ଅଟଇ

ତହିଁରୁ କଣିକା ମାତ୍ରକେ ସେବିତୀ ଅଶେଷ ପାପ ହରଇ

।।

ଏହା ଶେଷଭାଗ ମସ୍ତକେ ସଂଯୋଗ କପୋଳେ କରିବ ଚିତା

ଏହା ଦେଖିଲାରୁ ଦଣ୍ଡଧର ଦୂରୁମୃତି କରେ ଅପ୍ରମିତା

।।

ଆଦିତ୍ୟ ଉଦୟ ସେଠାରେ ଦେଖିବ ଈଶାଣେ ପାତାଳେଶ୍ଵର

ଉତ୍ତରେ ଉତ୍ତରାୟଣୀ ବସି ତୋରା ସୁବର୍ଣ୍ଣକୂପ ପାଖରେ

।।

ଶୀତଳା ସହିତ ରୁଦ୍ରଗଣ ଦେଖ ସେଠାରେ ବସିଅଛନ୍ତି

ବେନିଙ୍କର ବର ବିଜୟା ଉପର ଧବଳ କଲା ମୂରତି

।।

ପାଦପଦ୍ମଚିହ୍ନ ଦେଖିକରି ବର୍ଣ୍ଣ ପଞ୍ଚତୀର୍ଥ ଲୟକର

ମହୋଦଧି ବଟ ପାଦପଦ୍ମ ଚକ୍ର ମହାଲକ୍ଷ୍ମୀଙ୍କ ମନ୍ଦିର

।।

ସେ ପଞ୍ଚତୀର୍ଥରେ ସ୍ନାନ କଲେ ଖରେ କାଳଭୟ ନ ଲାଗଇ

ଚଇତନ୍ୟ ରୂପ ସେସ୍ଥାନରେ ପ୍ରାପ୍ତ ବ୍ରହ୍ମହତ୍ୟା ଦୋଷ ଯାଇଁ

।।

ବେଢ଼ା ବୁଲିକରି ସତ୍ୟବାଟେ ଚାଲି ବିଷୟାକୁ ଦୂର କରି

ଶ୍ରୀ ଗୁରୁଚରଣ କରିବ ସ୍ମରଣ ସଂସାରୁ ହୋଇବ ପାରି

।।

ଏଥୁଅନନ୍ତରେ ଜଗମୋହନରେ ଦେଖିବ ବେନି ଭାଇଙ୍କି

ବୀରସେ ଘୋଡ଼ାରେ ଚଢ଼ିଣ ସତ୍ୱରେ କାଞ୍ଚିକାବେରି ପାଇଁଙ୍କି

।।

ଦଧି ଖାଉଥିଲେ ଗୋପାଳୁଣୀ ମେଳେ ବଛାମୁଦୀ ବନ୍ଧା ଦେଇ

କର ପ୍ରସାରିଣ ଗୋପାଳୁଣୀ ଗଣ ସେ ମୁଦ୍ରିକାକୁ ନିଅଇ

।।

ଶିବବ୍ରହ୍ମା ନର ଛାମୁରେତ କରଯୋଡ଼ି ହୋଇଛନ୍ତି ଉଭା

ଗଋଡ଼ ସ୍ତମ୍ଭରେ ଗଋତ୍ମାନ କରେ ଦେଖ କି ଆଶ୍ଚର୍ଯ୍ୟ ପ୍ରଭା

।।

ସେଠାରେ ଶୋହଳ-ଦଣ୍ଡର ବିଳମ୍ବ ନିଗୁଢ଼ ପ୍ରେମ ଭାବରେ

କାକୁସ୍ଥରେ କର ନିବେଶିବ ଶିର ଦ୍ୱାରପାଳଙ୍କ ଆଗରେ

।।

ଚନ୍ଦନ ଅର୍ଗଳି ଠାରେ ଯାଇମିଳି ନିରେଖି ଚାହଁ ନୟନ

ସ୍ତମ୍ଭରେ ମର୍କତ କନକ ମଣ୍ଡପ ତଥିମଧ୍ୟେ ଭଗବାନ

।।

ନିଜ ସିଂହାସନେ ବସି ଏକଧ୍ୟାନେ ଚତୁର୍ଦ୍ଧା ମୂରତି ଧରି

ଜୟ ବଳଦେବ ଜୟ ବାସୁଦେବ ଜୟ ସୁଭଦ୍ରା ସୁନ୍ଦରୀ

।।

ଜୟ ସୁଦର୍ଶନ ମଦନମୋହନ ଜୟ ବଳାରାମ ହରି

ଏକକରେ ହଳ ଦିତୀୟେ ମୂଷଳ ଅରୁଣ ନୟନ ଘାରି

।।

ଏକକରେ ଦର ଚକ୍ର ଅନ୍ୟ କର ଅନ୍ୟ କରେ ଗଦା ଶୋହେ

ଚତୁର୍ଥ କରେଣ ପଦ୍ମ ଧରି ପୁଣ ଭକ୍ତଜନ ମନ ମୋହେ

।।

ସାରି ଅବକାଶ ସେବକାଦି ଦାସ ଭୋଗକୁସଞ୍ଚା ଥୋଇଲେ

ନିୟୋଗୀୟମାନେ ଆପଣାର ମନେ ପୂଜା ଘଣ୍ଟା ବଜାଇଲେ

।।

ଘଣ୍ଟାଦିର ଧ୍ୱନି ଶୁଭେ ପୂରତିନି ବ୍ରହ୍ମାସଙ୍ଗେ ଦେବ ଘେନି

କୃଷ୍ଣ ଚରଣକୁ ଧୂପ ଖଟିବାକୁ ଇନ୍ଦ୍ରଆଦି ସୁର ମୁନି

।।

ଛାମୁରେ ଅନ୍ତରେ ହୁଏ ଟେରାବାଡ଼ ବାନ୍ଧନ୍ତି ପଟ ପତନୀ

ଋଦ୍ର ଯେ ପ୍ରତାପ ଖଟେ ଧୂପ ଦୀପ ଛତିଶାନିଯୋଗ ଘେନି

।।

ଅହ୍ମଣିଆ ଭାର ଘେନିଣ ସତ୍ୱର ମହାଶୁଆରେ ଆସନ୍ତି

ଛପନିଆ ଭୋଗ ରୂପରେ ସଂଯୋଗ ଛାମୁରେ ପନ୍ତି କରନ୍ତି

।।

ଷଷ୍ଠାଦଶରୂପେ ପୂଜାର ସ୍ୱରୂପେ ନାନାବିଧ ରୂପ ଧରି

ଅଙ୍ଗନ୍ୟାସ କରନ୍ୟାସ ମାନଙ୍କର ବାକ୍ୟ ମାନ ଉପଚାରି

।।

ନଇବିଦ୍ୟ ଧୂପ ଚଳୁଧରି ଦୀପ ବ୍ରହ୍ମ ରୂପକୁ ଚିନ୍ତନ୍ତି

ଚିନ୍ତିଲା ମାତ୍ରକେ ପ୍ରେମବ୍ରହ୍ମରୂପେ ଚଳୁରେ ଦୃଶ୍ୟ ହୁଅନ୍ତି

।।

ଦିବ୍ୟ ଉପାସକ ମହାଲକ୍ଷ୍ମୀ ପାକ ଅମୃତ ମଣୋହି କରି

ତାମ୍ବୁଳ କର୍ପୂର ବିଡ଼ିଆ ବାହାର ଭୋଗ ଆଚବନ ସାରି

।।

କର୍ପୂର ଆଣିବା ଧୂପକୁ ସାରିବା ଆଳତି କରିବା ଶେଷ

ଭକ୍ତ ଯେଉଁନରେ ସେବନ୍ତି ଛାମୁରେ ଦେଖେ ବଳରାମ ଦାସ

।।

ହାଟ କୈବଲ୍ୟର ବସେ ନିରନ୍ତର ଏକକାର ସବୁ ଦେଖ

ଶ୍ରୀ ମହାପ୍ରସାଦ ଆତ୍ମାର ଅଭେଦ ଭବ ଭୟକୁ ଉପେଖ

।।

ସନ୍ଧ୍ୟାଧୂପ ଆଦ୍ୟ ବେଳେ ଦେଖ ମଧ୍ୟ ହୁଏ ପାଞ୍ଚ ଅବକାଶ

ଗଋଡ଼ ପଛରେ ଥାଇ ଦେଖ ନରେ ଜନ୍ମ ସୁଫଳ ପ୍ରକାଶ

।।

ସନ୍ଧ୍ୟା ଧୂପବେଳେ ସଉଲାଗି କାଳେ ଚଳ ଧଣ୍ଡାମାଳମାନ

ଆଭରଣମାନ ଶ୍ରୀ ଅଙ୍ଗୁ କାଢ଼ିଣ ଲାଗି ପାଇ ଚତୃସମ

।।

ଏଥୁଅନନ୍ତରେ ଜଗନ୍ନାଥ ଖରେ ଚନ୍ଦନ ଲାଗି ହୁଅନ୍ତି

ବଡ଼ସିଂହାରରେ ବେଶ ଉଦ୍ଯୋଗରେ ପଶୁପାଳକେ କରନ୍ତି

।।

ଚକାବଇଠିରେ ଖଞ୍ଜନ୍ତି ସତ୍ୱରେ ଖିରୋଦ୍ର ଶ୍ୱେତ ଅମ୍ବର

ପାଳିର ଯେ ଦାସ କରନ୍ତି ସୁବେଶ ଚିତ୍ତେ ହୋଇ ତତପର

।।

ବାସୋପରେ ବାସ କରନ୍ତି ସୁବେଶ ଡମ୍ବରୁ ମଝା କଟିରେ

ସେ ପୀତବସନ ତହୁଁ ଉପରାଣ ବିପୁଳ ଭୁଜ ଉପରେ

।।

ରାହୁରେଖଝିନ ଶୋଭଇ ବସନ କର୍ଣ୍ଣେ ମକର କୁଣ୍ଡଳ

ନୂତନ ଲଳିତ ରତନେ ଜଡ଼ିତ ଶୋଭିତି ଚିତା ଉଜ୍ଜ୍ୱଳ

।।

ନାନା କୁସୁମରେ ତ୍ରିବେଣୀ ଚୂଳରେ ଯତ୍ନ କରି ସଜାଡ଼ନ୍ତି

ଜମ୍ବୁନଦେ ଚିତା ଉପରେ ଶୋଭିତା ଧନ୍ୟ ସେ ଅଳକାପନ୍ତି

।।

କୋଟି କାଳିନ୍ଦୀର ପରାଏ ସୁନ୍ଦର କଳା ଶ୍ରୀମୁଖମଣ୍ଡଳ

ବନଜ ପଲାଶ ପରାଏ ବିକାଶ ବିକଚ ନେତ୍ରଯୁଗଳ

।।

ନାସାରେ ବସଣୀ ଶୋଭନୀୟ ପୁଣି ମହୋଦର କର୍ଣ୍ଣାଞ୍ଚଳ

ବିପୁଳ ଭୁଜରେ ଲମ୍ବିଛି ରୁଚିରେ ଦିବ୍ୟ କରଡ଼ିଆମାଳ

।।

ଅଧର ଛବିକୁ ଉପମା ଦେବାକୁ ନାହିଁ ଆଉ ତ୍ରିଭୁବନ

ପ୍ରବାଳନାବ କି-କାଳନ୍ଦିହ୍ରଦେ କି ଭାଷଇ ତା ପ୍ରତେ ଘେନ

।।

ଏ ବଡ଼ ସିଂହାର ଦେଖହେ ସୁନର ଅଟଇ ଅତି ଦୁର୍ଲ୍ଲଭ

ଚର୍ମ୍ମଡ଼ୋଳା ନେତ୍ର ହୁଅଇ ପତିତ ଦେଖିଣ କରପଲ୍ଲବ

।।

ଏହିସମୟରେ ସ୍ତୁତିକର ନରେ ଅଶେଷ ଦୂରିତ ଯାଉ

କରିଲେ ଜଣାଣ ଗୁହାରି ଶ୍ରବଣ ବିପତ୍ତି ନ ରହେ ଆଉ

।।

ବେଶ ସାରି ଭୋଗ ହୁଅନ୍ତେ ସଂଯୋଗ ବେଶକାରୀଏ ଅନ୍ତର

ଭୋଗ ହେବା ଅନ୍ତେ ପୁଷ୍ପାଞ୍ଜଳି ହସ୍ତେ ଦେଖନ୍ତି ଯେ ସୁରନର

।।

ପୁଷ୍ପାଞ୍ଜଳିପରେ ସିଂହାସନ ତଳେ ରତ୍ନପଲଙ୍କ ପଡ଼ଇ

ସୁବର୍ଣ୍ଣଝରୀରେ ଜଳ ସୂଚାରୁରେ ସେଠାରେ ରଖନ୍ତି ନେଇ

।।

କବାଟ ପକାନ୍ତି ଦେଉଳ ଶୋଧନ୍ତି ଦେବତାମାନେ ମେଲାଣି

ରତ୍ନସିଂହାସନୁ ସୁକୁମାର ତନୁ ବିଜେ ପଲଙ୍କରେ ପୁଣି

।।

ନୀଳକଣ୍ଠ ଜାଣ କପାଳ ଲୋଚନ ଜମ୍ବେଶ୍ୱର ହରିହର

ଲୋକନାଥ ମାରକଣ୍ଡ ବେଲେଶ୍ୱର ଯାନ୍ତି ଆପଣ ମନ୍ଦିର

।।

ମାରକଣ୍ଡ ଶ୍ୱେତ-ଗଙ୍ଗା ଚକ୍ରତୀର୍ଥ ଆବର ଇନ୍ଦ୍ରଦ୍ୟୁମନ

ଶୁଣ ହେ ସୁନରେ ଏ ତୀର୍ଥମାନରେ ନିଶ୍ଚେ କରିବ ସ୍ନାହାନ

।।

ସ୍ୱର୍ଗର ଦ୍ୱାରରେ ମହୋଦଧିଠାରେ ସ୍ନାନ କର ଅନୁସରି

ସୁରଗଣମାନେ ବାଞ୍ଛା ଅନୁକ୍ଷଣେ ଭାଗ୍ୟ ହୋଇବ ଆମ୍ଭରି

।।

ଜନମ ଆମ୍ଭର ହୋଇବ ମର୍ତ୍ତ୍ୟର କୈବଲ୍ୟ କରିବୁଁ ସେବା

ତୀର୍ଥମାନଙ୍କରେ ସ୍ନାହାନ ସତ୍ୱରେ ହୋଇବ ଏଭାଗ୍ୟ ଅବା

।।

ନିରନ୍ତରେ ନାମ କରିବୁଁ କୀର୍ତ୍ତନ ଦଣ୍ଡେ କ୍ଷଣେ ଏକଘଡ଼ି

ମନ ଦେଇକରି ଭଜିବୁଁ ଶ୍ରୀହରି ବିଷୟାପଥକୁ ଏଡ଼ି

।।

ଏ କଥା ସୁଜନେ ଶୁଣ ସାବଧାନେ ଦେହାନ୍ତରେ ନ ମିଳଇ

ମନ କର୍ତ୍ତବ୍ୟରେ ଶୁଣିଲେ ସତ୍ୱରେ ବଇକୁଣ୍ଠ ପ୍ରାପ୍ତି ହୋଇ

।।

ନ କରିବ ହେଳା ଶ୍ଵେତପଦ୍ମଡୋଳା ଭଜ ଏ କରୁଣାନିଧି

ହୃଷ୍ଟ କରି ମନେ ହେଜିବ ଯତନେ ସର୍ବକାର୍ଯ୍ୟ ହୁଏ ସିଦ୍ଧି

।।

ଘୋର ଅନ୍ଧକାର ଏ ଭବସାଗର ପରି ହେବାକୁ ନଉକା

ଭଜ ମନଦେଇ ଦାରୁବ୍ରହ୍ମ ଧାଇଁ ଲୟ ବସି କର ଏକା

।।

କ୍ଷେତ୍ର ବିଧିମତେ ଲେଖିଲି ଯୁଗତେ ମୋର ନ ଧରିବ ଦୋଷ

କ୍ଷୁଦ୍ରମତି ମାତ୍ର କରିଲି ବିଖ୍ୟାତି କହେ ବଳରାମଦାସ

।।

Image